ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ପଡିବ ଭୋଟ୍‌। ନିର୍ବାଚନ ପୂର୍ବରୁ ଆଜି ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପଦ୍ମପୁରରେ ଆଜି ମୁଖ୍ୟମନ୍ତ୍ରୀ ୩ଟି ନିର୍ବାଚନୀ ସଭା କରି ଲୋକଙ୍କୁ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅପିଲ କରିଛନ୍ତି।

ନିର୍ବାଚନୀ ସଭାରେ ନବୀନ କିଛିଦିନ ଦିନ ଧରି ବିଜେପିର ରାଜ୍ୟ ନେତା ଏବଂ କେନ୍ଦ୍ରମନ୍ତ୍ରୀମାନେ କରୁଥିବା ଅପପ୍ରଚାରର କଡା ଜବାବ ଦେବା ସହ ଲୋକଙ୍କ ଆଗରେ ନିଚ୍ଛକ ସତକଥା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେପି ନେତା ମାନେ ୨୦୧୪ରେ କହିଥିଲେ ଏମଏସପି ଦୁଇଗୁଣା କରିବୁ । କିନ୍ତୁ ଏହା ହେଲା କି? ସାର ଦେବାରେ ଅବହେଳା, ଧାନ କିଣିବାରେ ଅବହେଳା, ଚାଷୀଙ୍କୁ ଋଣ ଦେବାରେ ଅବହେଳା କରୁଛି କେନ୍ଦ୍ର । କିନ୍ତୁ ଚାଷୀଙ୍କ କଲ୍ୟାଣ ପାଇଁ ବିଜେଡି ଅନେକ ପଦକ୍ଷେପ ନେଇଛି । ଚାଷୀଙ୍କ ଉନ୍ନତି ପାଇଁ ୧ ହଜାର କୋଟି ଟଙ୍କାର କାମ ହୋଇଛି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ବିଜେପିର କିଛି ନେତା ପଚାରୁଛନ୍ତି ନବୀନ ବାବୁ ବିଜେପୁର ପାଇଁ କଣ କଲେ? ଏହାର ଜବାବ ହେଲା, ବିଜେପୁରବାସୀ ୨୦୧୯ରେ ବିଜେଡି ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟରେ ଆଶୀର୍ବାଦ କଲେ । ବିକାଶ ଧାରାରେ ବିଜେପୁର ସାମିଲ ହୋଇଛି । ୪ ହଜାର କୋଟି ଟଙ୍କାର କାମ ବିଜେପୁରରେ ଚାଲିଛି । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ । ବିଜେପୁର ଭଳି ପଦ୍ମପୁରବାସୀଙ୍କୁ ଯାହା କହିଛି ତାହା କରିବି । ପ୍ରତ୍ୟେକ ପଞ୍ଚାୟତ ପାଇଁ ବିଜେଡି ନିଜ ଇସ୍ତାହାରରେ ୧ କୋଟି ଟଙ୍କାର ପ୍ରକଳ୍ପ ରଖିଛି। ଏହାକୁ ବର୍ଷେ ଭିତରେ ପୂରା କରିବୁ । ୨୦୨୪ ନିର୍ବାଚନ ପୂର୍ବରୁ କାମ ସରିଥିବ, ତାଲିକା ଧରି ମୁଁ ଆସିବି ।

ବିଜେପିର ନେତା ମାନେ ବିଜେଡିର ମହିଳା ପ୍ରାର୍ଥୀଙ୍କୁ ନେଇ ସୋସିଆଲ ମିଡ଼ିଆରେ ଅସମ୍ମାନ କରୁଛନ୍ତି ତାହା ଦୁଃଖର କଥା । ମୁଁ ଏହାକୁ ନିନ୍ଦା କରୁଛି । ଏଠାରେ ମୁଁ ଜଣେ ଶିକ୍ଷିତ ମହିଳାଙ୍କୁ ପ୍ରାର୍ଥୀ କରିଛି ।
ପାଇକମାଳରେ ଆୟୋଜିତ ଜନସଭାରେ ସମ୍ବୋଧିତ କରିଥିଲେ। ନବୀନ ପଟ୍ଟନାୟକ ଶେଷରେ ପଦ୍ମପୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ୨୦୨୩ରେ ପଦ୍ମପୁର ଜିଲ୍ଲା ସ୍ୱପ୍ନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।
ବିଜେଡି ସୁପ୍ରିମୋ କହିଛନ୍ତି ଯେ, ସେ ଗରିବଙ୍କ ହକ୍ ପାଇଁ ଲଢୁଛନ୍ତି, କେନ୍ଦୁପତ୍ର ତୋଳାଳୀଙ୍କ କଲ୍ୟାଣ ଓ ହକ୍ ପାଇଁ ତାଙ୍କ ସରକାର କାମ କରୁଛି । ଚାଷୀଙ୍କ କଲ୍ୟାଣ ଓ ହକ୍ ପାଇଁ କାମ କରାଯାଉଅଛି । ମହିଳାଙ୍କୁ ସଶକ୍ତ କରିବାକୁ ଓଡ଼ିଶା ଭଲ କାମ କରିଛି । ମା’ ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ । ଜନଜାତି ଭାଇଙ୍କ କଲ୍ୟାଣ ପାଇଁ କାମ କରୁଛି ତାଙ୍କ ସରକାର। କଥା ନୁହେଁ ସେ କାମରେ ବିଶ୍ୱାସ କରନ୍ତି ବୋଲି ନବୀନ କହିଛନ୍ତି । ପଦ୍ମପୁରବାସୀଙ୍କ ଦାବି ପୂରଣ ହେବ ଓ ସ୍ୱପ୍ନ ସାକାର ହେବ । ବଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଆଶୀର୍ବାଦ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Comment

Your email address will not be published. Required fields are marked *

Scroll to Top