ଭୁବନେଶ୍ଵର : ରାଜ୍ୟସଭା ପାଇଁ ୪ ଜଣଙ୍କ ନାଁ ଘୋଷଣା କରିଛି ବିଜେଡି । ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କୁ ଟିକେଟ୍ ଦେଇଛି ଦଳ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ନାଁରେ ମୋହର ମାରିଛନ୍ତି । ସସ୍ମିତ ପାତ୍ରଙ୍କୁ ଦଳ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ପଠାଇଛି । ଏବେ ମାନସ ମଙ୍ଗରାଜ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଛନ୍ତି । ସେହିଭଳି ରାଜ୍ୟସଭା ସାଂସଦ ଥିବା ଡ. ସସ୍ମିତ ପାତ୍ର ପୁଣି ଥରେ ରାଜ୍ୟସଭା ଯିବେ । ମହିଳା ସଶକ୍ତିକରଣ କ୍ଷେତ୍ରରେ କାମ କରୁଥିବା ସୁଲତା ଦେଓଙ୍କୁ ଦଳ ରାଜ୍ୟସଭା ଟିକେଟ୍ ଦେଇଛି । ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ବିଜେଡି ରାଜ୍ୟସଭା ଟିକେଟ୍ ଦେଇଛି ।

ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ତିନିଟି ଆସନ ପାଇଁ ନିର୍ବାଚନ ହେଉଛି । ଆସନ୍ତା ୩୧ ତାରିଖ ଏହି ୩ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ । ସେହିପରି ମେୟର ଭାବେ ବିଜୟୀ ହେବା ପରେ ସୁବାସ ସିଂହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସୁବାସଙ୍କ ଇସ୍ତଫା ପରେ ଉପନିର୍ବାଚନ ହେଉଛି । ଉପନିର୍ବାଚନ ପାଇଁ ଜୁନ ୨ ତାରିଖ ରହିଛି ପ୍ରାର୍ଥିପତ୍ର ଦାଖଲର ଶେଷଦିନ । ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଅକ୍ତିଆର କରିବା ନିଶ୍ଚିତ ।
ଆସନ୍ତୁ ଜାଣିବା ରାଜ୍ୟସଭା ଟିକେଟ୍ ମିଳିବା ପରେ ପ୍ରତିକ୍ରିୟାରେ କିଏ କଣ କହିଛନ୍ତି ।…
ମାନସ ରଞ୍ଜନ ମଙ୍ଗରାଜ
ସାମ୍ବାଦିକତାରୁ ସଫଳ ରାଜନେତା ହୋଇଛନ୍ତି ମାନସ ମଙ୍ଗରାଜ । ରାଜ୍ୟସଭା ପାଇଁ ନାଁ ଘୋଷଣା ପରେ ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସାମ୍ବାଦିକତାରେ ଯେତିକି ଚର୍ଚ୍ଚିତ, ରାଜନୀତିରେ ସେତିକି ପ୍ରଭାବୀ ସେ ।ଏବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଛନ୍ତି । ଦଳର ସଂଗଠନ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସଂସଦରେ ଓଡ଼ିଶାର ନାର୍ଯ୍ୟ ଦାବିକୁ ଉପସ୍ଥାପନ କରିବେ ବୋଲି କହିଛନ୍ତି ।
ସୁଲତା ଦେଓ
ସମାଜସେବୀ ତଥା ବିଜେଡିର ମୁଖପାତ୍ର ସୁଲତା ଦେଓ । ଏବେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପରାମର୍ଶଦାତା ଅଛନ୍ତି ସୁଲତା ଦେଓ । ସରପଞ୍ଚ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ସୁଲତା ଦେଓ । ରାଜ୍ୟସଭା ପାଇଁ ଟିକେଟ୍ ମିଳିବା ପରେ ସେ ଭାବବିହ୍ୱଳ ହୋଇ ପଡ଼ିଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଆଗେଇ ନେବେ ।
ଡ. ସସ୍ମିତ ପାତ୍ର
ନାଁ ଘୋଷଣା ପରେ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱରକୁ ଆହୁରି ଶାଣିତ କରି ସଂସଦରେ ଉପସ୍ଥାପନ କରାଯିବ ବୋଲି କହିଛନ୍ତି ସସ୍ମିତ ପାତ୍ର । ଦିଲ୍ଲୀ ଦରବାରରେ ହକ୍ ପାଇଁ ଲଢ଼େଇ କରୁଛି, ଆଗକୁ ଜାରି ରହିବ ବୋଲି କହିଛନ୍ତି ।

ନିରଞ୍ଜନ ବିଶି
ପଶ୍ଚିମ ଓଡ଼ିଶାର ଟାଣୁଆ ଆଦିବାସୀ ନେତା ହେଉଛନ୍ତି ନିରଞ୍ଜନ ବିଶି । ସେ ଏବେ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଅଛନ୍ତି । ରାଜ୍ୟସଭା ଟିକେଟ୍ ପାଇବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସରକାରଙ୍କ ଯୋଜନାକୁ ଆଦିବାସୀ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି କାମ କରିବେ ବୋଲି କହିଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top