ବିଜୟାନନ୍ଦ ପଟ୍ଟନାୟକ ଓରଫ୍ ବିଜୁ ପଟ୍ଟନାୟକ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ । ସେ ଏଭଳି ଜଣେ ବିଚକ୍ଷଣ ବ୍ୟକ୍ତିତ୍ବ ଯିଏ ଓଡ଼ିଶା ରାଜନୀତିକୁ ପ୍ରାୟ ଅର୍ଦ୍ଧ- ଶତାବ୍ଦୀ ଧରି ପ୍ରଭାବିତ କରି ରଖିଥିଲେ । ୧୯୧୬ ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ୍ ୧୭ ତାରିଖ- ୮୧ ବର୍ଷର ଜୀବନ। ତାଙ୍କର ସମଗ୍ର ଜୀବନ ଥିଲା କର୍ମମୟ । ଦୁଦ୍ଧର୍ଷ ପାଇଲଟ୍ ଦକ୍ଷ ଶିଳ୍ପପତି, ଓଡ଼ିଶା ରାଜନୀତିର ବେତାଜ୍ ବାଦଶାହ ଥିଲେ ବିଜୁ ବାବୁ । ଦୂରଦୃଷ୍ଟା, ସ୍ବାଭିମାନୀ, ସ୍ପଷ୍ଟବାଦୀ, ନିର୍ଭିକ ବ୍ୟକ୍ତିତ୍ବର ଅଧିକାରୀ ଏହି ସର୍ବମାନ୍ୟ ନେତା । ପ୍ରବାଦପୁରୁଷ, ଭୂମିପୁତ୍ର, କଳିଙ୍ଗ ବୀର, ଦ୍ବିତୀୟ ଖାରବେଳ ଆଦି ଉପାଧିରେ ଭୂଷିତ ବିଜୁବାବୁ ଗଞ୍ଜାମ ଜିଲ୍ଲାର ଜି-ନୂଆ ଗାଁରେ ସ୍କୁଲ ଶିକ୍ଷା ସାରି ରେଭେନ୍ସା କଲେଜରେ ନାମ ଲେଖାଇଥିଲେ ।

ପାଇଲଟ୍ ହେବାର ଇଚ୍ଛା ଥିବାରୁ ସେ କଲେଜ ପଢା ଛାଡ଼ି ବିମାନ ଚାଳନାରେ ତାଲିମ୍ ନେଲେ। ପ୍ରତ୍ୟେକ ଆହ୍ବାନକୁ ସାମ୍ନା କରିବାର ଅଦମ୍ୟ ସାହାସ ତାଙ୍କ ଠାରେ ଥିଲା । ସେ ଛୋଟ ଛୋଟ ଘଟଣାରେ ମଧ୍ୟ ଦୁଃସାହସିକ ପଦକ୍ଷେପ ନେଉଥିଲେ। ୧୯୪୬ରେ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ପରାମର୍ଶକ୍ରମେ ଇଣ୍ଡୋନେସିଆର ନେତା ସାହାଲିୟର୍ ଓ ହାଟାଙ୍କୁ ଡଚ୍ କବଳିତ ଜାକର୍ତ୍ତାରୁ ଉଦ୍ଧାର କରିବା ହେଉ ଅଥବା କାଶ୍ମୀର ସୁରକ୍ଷା ପାଇଁ ତାଙ୍କ ନିର୍ଦ୍ଦେଶରେ ବିମାନ ଯୋଗେ ଭାରତୀୟ ସୈନ୍ୟଙ୍କୁ କାଶ୍ମୀରରେ ପହଞ୍ଚାଇବା କାମ ହେଉ ଏଥିରେ ବିଜୁବାବୁଙ୍କ ଦୁଃସାହସିକତା ଓ ରାଷ୍ଟ୍ରପ୍ରେମର ପରିଚୟ ମିଳେ ।
୧୯୬୨ ଭାରତ-ଚୀନ୍ ଯୁଦ୍ଧବେଳେ ସେ ଥିଲେ ପ୍ରଧାନମନ୍ତ୍ରୀ ନେହେରୁଙ୍କର ଅଘୋଷିତ ସାମରିକ ପରାମର୍ଶଦାତା । ସେ ମଧ୍ୟ ମହିଳା ସଶକ୍ତିକରଣ ଓ ପଞ୍ଚାୟତିରାଜ ବ୍ୟବସ୍ଥାର ଉଦ୍ୟୋକ୍ତା ଥିଲେ । ୧୯୬୧ରେ ମଧ୍ୟବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ୧୪୦ ସିଟ୍‌ରୁ ୮୨ଟିରେ ବିଜୟ ହାସଲ କରିଥିଲା । ଏହି ସମୟରେ ବିଜୁବାକୁ ମାତ୍ର ୨ବର୍ଷ ୩ ମାସ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସ୍ବଳ୍ପ ସମୟରେ ବି ସେ ରାଜ୍ୟର ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ । ପାରାଦୀପ ବନ୍ଦର, ଏକ୍ସପ୍ରେସ୍ ହାଇୱେ, ମିଗ୍ ବିମାନ କାରଖାନା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ସୈନିକ ସ୍କୁଲ, ଆଦି ଅନେକ କୀର୍ତି ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ଅମଳରେ ଆରମ୍ଭ ହୋଇଥିଲା ।

ଦଶକରେ ସେ ମୋରାରଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଇସ୍ପାତ, ଖଣି ଓ କୋଇଲା ବିଭାଗର ମନ୍ତ୍ରୀ ହୋଇଥିଲେ। ୧୯୯୦ରେ ତାଙ୍କ ନେତୃତ୍ବରେ ଗଠିତ ଜନତାଦଳ ବିଧାନସଭାରେ ରେକର୍ଡ ସଂଖ୍ୟକ ୧୨୩ଟି ଆସନ ଦଖଲ କରିଥିଲା ଓ ସେ ଦ୍ବିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୭ ମସିହା ଏପ୍ରିଲ୍ ୧୭ ତାରିଖରେ ଏହି ମହାନ ଜନନେତାଙ୍କର ଦିଲ୍ଲୀଠାରେ ପରଲୋକ ଘଟିଥିଲା । ତାଙ୍କ ଜନ୍ମଜୟନ୍ତୀ ମାର୍ଚ୍ଚ ୫ ତାରିଖକୁ ୨୦୧୨ ମସିହାରୁ ଆମ ରାଜ୍ୟରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି।

Leave a Comment

Your email address will not be published. Required fields are marked *

Scroll to Top